ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଏକ ନମ୍ବର ବୁଥରେ ଆସୁଥିବା ତିନିଟି ଜଙ୍ଗଲ ଗ୍ରାମ ହେଲେ ମହୁଲିଆ, ସିବିଡା ଏବଂ ଲାଣ୍ଡରୁ| ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ଗ୍ରାମ ପଞ୍ଚାୟତ ଭିତରେ ଏହି ତିନିଟି ଗ୍ରାମ ଅବସ୍ଥାପିତ | ଏହି ତିନିଟି ଗ୍ରାମ ରାଜ୍ୟର ସର୍ବବୃହତ ଦାମିଆ ବରବରା ଜଙ୍ଗଲ ଭିତରେ ଅବସ୍ଥାପିତ | ଭୌଗୋଳିକ ସ୍ଥିତି ରୁ ଦେଖିଲେ ଏହି ଗ୍ରାମ ଗୁଡ଼ିକ ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ସଙ୍ଗମ ସ୍ଥଳୀରେ ଅବସ୍ଥାପିତ | ବିଭିନ୍ନ ସେବା ପାଇବା ପାଇଁ ସେମାନେ ଜଙ୍ଗଲ ରାସ୍ତାଦେଇ ବିଭିନ୍ନ ଜିଲ୍ଲା କୁ ଯାଆ ଆସ କରିଥାନ୍ତି | ମହୁଲିଆ, ସିବିଡା ଓ ଲାଣ୍ଡରୁ ଗ୍ରାମରେ ଯଥା କ୍ରମେ ୩୮, ୧୩ ଓ ୬ ଟି କନ୍ଧ ଆଦିବାସୀ ପରିବାର ବସବାସ କରନ୍ତି | ୨୦୧୧ ଜନଗଣନା ଅନୁସାରେ ଏଇ ତିନିଟି ଗ୍ରାମର ସାକ୍ଷରତା ହାର ଯଥାକ୍ରମେ ୫୩, ୪୭ ଓ ୪୫ ପ୍ରତିଶତ |
ତିନିଟି ଗ୍ରାମର ଶିକ୍ଷା ଆବଶ୍ୟକତା ପୂର୍ଣ୍ଣ କରିବା ନିମିତ୍ତ ରାଜ୍ୟସରକାର ଙ୍ ତରଫରୁ ୨୦୦୪ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିଲା | କିନ୍ତୁ ୨୦୨୧ ମସିହାରେ ବିଦ୍ୟାଳୟ ଟିକୁ ବନ୍ଦ କରି ଦିଆ ଗଲା | ଏହା ଫଳରେ ତିନି ଗ୍ରାମର କୁନି ବାଳିକା ବାଳକ ମାନେ ଶିକ୍ଷା ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି | ଦୀର୍ଘ ୧୭ କିମି ଘଞ୍ଚ ଜଙ୍ଗଲ ରାସ୍ତା ଅତିକ୍ରମ କଲେ ହିଁ କୁନି ବାଳିକା ବାଳକ ମାନେ ନିକଟସ୍ଥ ନୀଳାଦ୍ରି ପ୍ରସାଦ ବିଦ୍ୟାଳୟରେ ପହଞ୍ଚି ପାରିବେ | ଏହି ଜଙ୍ଗଲରେ ବିଭିନ୍ନ ହିଂସ୍ର ଜନ୍ତୁ ରହୁଛନ୍ତି | ଏହା ସହିତ ଜଙ୍ଗଲ ମଧ୍ୟଦେଇ ଯାଇଥିବା ରାସ୍ତାଟି ମାଟି ରାସ୍ତା ହୋଇ ଥିବାରୁ ବର୍ଷା ସମୟରେ ଚାଲି ଯିବା ପାଇଁ ମଧ୍ୟ କଷ୍ଟ ହୋଇ ଥାଏ | ତେଣୁକରି ବାସ୍ତବରେ ଛୋଟ ପିଲାମାନଙ୍କ ପାଇଁ କୌଣସି ବିଦ୍ୟାଳୟ ଯିବା ସମ୍ଭବ ହୋଇ ନଥାଏ | ସେଥିପାଇଁ ଗ୍ରାମର ଅଧିକାଂଶ ଛାତ୍ର ଛାତ୍ରୀ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି | ଏଠାରେ କହିବା ଉଚିତ ହେବ ଯେ ଭାରତୀୟ ସମ୍ବିଧାନ ରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଏହି ଗ୍ରାମର ଶିଶୁମାନେ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି |
ମହୁଲିଆ ଓ ସିବିଡା ରେ ପ୍ରଥମ ଶ୍ରେଣୀ ଯିବା ବୟସରେ ମୋଟ ୧୨ ଜଣ ପିଲା ଅଛନ୍ତି କିନ୍ତୁ ମାତ୍ର ୬ ଜଣ କୌଣସି ଆଶ୍ରମ ସ୍କୁଲ ରେ ପାଠ ପଢୁଛନ୍ତି ଆଉ ୬ ଜଣ କୌଣସି ସ୍କୁଲ ରେ ନାମ ଲେଖାଇ ନାହାନ୍ତି | ବାପା ମାଙ୍କ କହିବା ଅନୁସାରେ ଏତେ ଛୋଟ ପିଲାମାନେ ନିଜ ହାତରେ ଖାଇବା ଶିଖିନାହାନ୍ତି କିମ୍ବା ନିଜ ନିତ୍ୟକର୍ମ ନିଜେ କରିବା ସକ୍ଷମ ହୋଇ ନାହାନ୍ତି | ସେମାନେ ହଷ୍ଟେଲ ରେ ରହି କିପରି ପାଠ ପଢିବେ | ନୀଳାଦ୍ରୀ ପ୍ରସାଦ ଠାରୁ ଏହି ତିନିଟି ଗାଁକୁ ଯାଇଥିବା ୧୭ କିମି ଜଙ୍ଗଲ ରାସ୍ତା ଦେଇ ବର୍ଷାଦିନେ ଯାତାୟାତ କରିବା ବହୁ କଷ୍ଟକର ପାଠ | ଗାଁ ରେ ବିଜୁଳି ବ୍ୟବସ୍ଥା ନାହିଁ | ସୌର ଆଲୋକ ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅଧିକାଂଶ ଅଚଳ ଅବସ୍ଥାରେ | ସ୍ୱାସ୍ଥ୍ୟ ଖରାପ ହେଲେ ରାତିରେ ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିବା ପ୍ରାୟତଃ ଅସମ୍ଭବ | ନିକଟରେ ଜ୍ଞାନାଲୋକ ଅନୁଷ୍ଠାନର କିଛି ସ୍ବେଛାସେବୀ ମାନଙ୍କ ସହାୟତାରେ ଗ୍ରାମବାସୀ ମାନେ ମୁଖ୍ୟମନ୍ତୀଙ୍କୁ ଆବେଦନ କରିଛନ୍ତି ଗାଁର ପ୍ରାଥମିକ ସ୍କୁଲଟିକୁ ପୁଣି ଥରେ ଖୋଲିବା ପାଇଁ | ଗାଁକୁ ସବୁଦିନିଆ ରାସ୍ତା ଏବଂ ବିଜୁଳି ସଂଯୋଗ ନଥିବାରୁ କୌଣସି ଶିକ୍ଷକ ଏହି ଗାଁକୁ ଆସିବାକୁ ରାଜି ହେଉନାହାନ୍ତି | ଏଥିପାଇଁ ବୋଧହୁଏ ସରକାରୀ ଅଧିକାରୀ ମାନେ ପ୍ରାଥମିକ ବିଦ୍ୟାଳୟଟିକୁ ବନ୍ଦ କରିବା ନିଷ୍ପତି ନେଇଛନ୍ତି | ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ଏହି ଗାଁ ର ୨୬ ଟି ପିଲା ବାଣପୁର କିମ୍ବା କାନସାରଳା ରେ ପାଠ ପଢୁଛନ୍ତି | ୯ଟି ପିଲା କୌଣସି ବିଦ୍ୟାଳୟରେ ପାଠ ପଢୁ ନାହାନ୍ତି |
ଆଜି ଯାଏଁ ମାତ୍ର ଜଣେ ଛାତ୍ର +୨ ଶିକ୍ଷା ପୂର୍ଣ୍ଣ କରିବାରେ ସଫଳ ହୋଇ ପାରିଛି | ଅଧିକାଂଶ ଛାତ୍ର ଛାତ୍ରୀ ଅଷ୍ଟମ କିମ୍ବା କଷ୍ଟରେ ଦଶମ ଶ୍ରେଣୀ ପରେ ପାଠ ପଢା ଛାଡ଼ିଥାନ୍ତି | ଗ୍ରାମବାସୀଙ୍କର ଘର ପଟ୍ଟା ନଥିବାରୁ ଜାତି ସାର୍ଟିଫିକେଟ ପାଇବା ଅସମ୍ଭବ ହେଉଛି | ଫଳରେ ଆଦିବାସୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧାରୁ ସେମାନେ ବଞ୍ଚିତ ହେଉଛନ୍ତି | ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ସ୍କୁଲ କଲେଜ ରେ ଥିବା ଛାତ୍ର ବୃତ୍ତି ଆଦିରୁ ସେମାନେ ବଞ୍ଚିତ ହେଉଛନ୍ତି | ଏହିସବୁ ଗାଁକୁ ସବୁ ଦିନିଆ ରାସ୍ତା ନିର୍ମାଣ, ଏବଂ ବିଜୁଳି ସଂଯୋଗ କଲେ ଗ୍ରାମବାସୀ ମାନେ ମୌଳିକ ସେବା ପାଇବାରେ ଉପକୃତ ହୋଇ ପାରନ୍ତେ ଏହା ସହିତ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟିକୁ ପୁଣିଥରେ ଖୋଲିଲେ ସମସ୍ତ ଶିଶୁ ଶିକ୍ଷା ପାଇବାରେ ସକ୍ଷମ ହୋଇପାରନ୍ତେ |
Amarendra Das
